ଆତ୍ମ ଉପଲବ୍ଧି
ସୁନ୍ଦର ମୂର୍ତ୍ତି ନିର୍ମାଣ କରୁଥିବା ଜଣେ ମୂର୍ତ୍ତିକାର ଥିଲେ । ନିପୁଣ ମୂର୍ତ୍ତିକାର ଭାବରେ ତାଙ୍କ ଦ୍ୱାରା ନିର୍ମିତ ମୂର୍ତ୍ତିଗୁଡ଼ିକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି କରି ସେ ପରିବାର ପୋଷଣ କରୁଥିଲେ । ସନ୍ତାନ ଭିତରେ ଥିଲେ ଏକମାତ୍ର ପୁଅ । ପିତା ପୁତ୍ରକୁ ମୂର୍ତ୍ତି ଗଠନ କଳାରେ ନିଜଠାରୁ ଆହୁରି ଦକ୍ଷ ହେବା ଚାହୁଁଥିଲେ । ପୁଅର ମଧ୍ୟ ମୂର୍ତ୍ତି ଗଠନ କଳା ପ୍ରତି ଆନ୍ତରିକତା ଥିଲା । ବାପାଙ୍କ ଉପଯୁକ୍ତ ତାଲିମରେ ବଡ଼ ହେବା ସହ ଆପଣା ବିଦ୍ୟାରେ ଭଲ ସଫଳତା ଲାଭ କଲା । ପୁଅ ଦ୍ୱାରା ନିର୍ମିତ ମୂର୍ତ୍ତିଗୁଡ଼ିକ ବାପାଙ୍କଠାରୁ ଅଧିକ ଦାମ୍ରେ ବିକ୍ରି ହେଉଥିଲା । ଏହା ସ୍ୱାଭାବିକ ଥିଲା, କାରଣ ଏକେତ ଶିଖିବାର ଉକ୍ରଣ୍ଠା, ଦ୍ୱିତୀୟତଃ ଜନ୍ମଜାତ ପ୍ରତିଭା କ୍ରମଶଃ ପୁଅର ଖ୍ୟାତି ବଢ଼ାଇବାକୁ ଲାଗିଲା । ପୁଅ ପ୍ରତ୍ୟହ ତା'ର କୃତି ବାପାଙ୍କୁ ଦେଖାଇ ଏହାର ଦୋଷଗୁଣ ସମ୍ପର୍କରେ ପଚାରୁଥିଲେ । ଏପରିକି ବିକି୍ରଲବ୍ଧ ଧନ ପିତାଙ୍କୁ ଦେଖାଇ ତାଙ୍କଠାରୁ ପ୍ରଶଂସା ପାଇବାକୁ ଅପେକ୍ଷା କରୁଥିଲା । ପିତା କେବେ କେମିତି ପ୍ରଶଂସା ସହ ତ୍ରୁଟି ଅର୍ଥାତ୍ ଦୋଷ ଲକ୍ଷ୍ୟ କରୁଥିଲେ ସେ ସମ୍ପର୍କରେ କହୁଥିଲେ । ବାହାର ଲୋକେ ମୂର୍ତ୍ତିକୁ ଦେଖି ଏତେ ପସନ୍ଦ କରୁଛନ୍ତି, ଅଥଚ ଆପଣ ସବୁଦିନେ କିଛି ନା କିଛି ଦୋଷ ବାଛୁଛନ୍ତି । ଆପଣଙ୍କ ତୁଳନାରେ ମୋର ମୂର୍ତ୍ତି ଅଧିକ ଦାମ୍ରେ ବିକ୍ରି ହେଉଛି । ପୁଣି ଦୋଷ କାହିଁକି ବାଛୁଛନ୍ତି ? ବୁଝିପାରୁନାହିଁ କାହିଁକି ଆପଣଙ୍କୁ ଉତ୍ତମ କାମ ଦେଖାଯାଉନାହିଁ । ପିତା ଚୁପ୍ ରହିଗଲେ, ମୁଣ୍ଡରେ ବଜ୍ର ପଡ଼ିଲା ଭଳି ଲାଗିଲା । ମନ ଭୀଷଣ ଦୁଃଖ ହେଲା । ପୁଅ ବଜାରକୁ ଚାଲିଗଲା । ପିତା ମୂର୍ତ୍ତିଗଢ଼ା ସ୍ଥାନରୁ ମନ ଦୁଃଖରେ ଘରକୁ ଫେରିଲେ, ଖାଇବା ପାଇଁ ଆଗ୍ରହ ହେଲାନାହିଁ । ପୁଅ ଘରକୁ ଆସି ଜାଣିବାକୁ ପାଇଲା ବାପାଙ୍କ ମନଦୁଃଖ କଥା । ପିତାଙ୍କ କଥାକୁ ଭୁଲ ବୁଝିଥିବାରୁ ଓ ତିରସ୍କାର କରିଥିବାରୁ ପଶ୍ଚାତାପ କଲା । ବାପାଙ୍କୁ କ୍ଷମା ମାଗି ଖାଇବା ପାଇଁ ଅନୁରୋଧ କଲା । ପିତା ରୁଦ୍ଧକଣ୍ଠରେ କହିଲେ - ପ୍ରଶ୍ନ ଏହା ନୁହେଁ ଯେ ତୁ ମୋତେ କ'ଣ କହିଲୁ ଓ ଏହା ମୋତେ କିଭଳି ଲାଗିଲା? ଅସଲ କଥା ହେଉଛି ଯଦି ତୁ ସମୀକ୍ଷାକୁ ଭୁଲ ଭାବୁ, ତେବେ କୃତିରେ ଥିବା ତ୍ରୁଟି ସଂଶୋଧନ କରି ଏହାକୁ ଅଧିକ ଆକର୍ଷଣୀୟ କରିବାର ଯେଉଁ ସମ୍ଭାବନା ଥାଏ ତାହା ମଉଳିଯିବ, ଏଥିସହ ଅଧିକ ଅର୍ଥ ରୋଜଗାର ଆଶା ମଧ୍ୟ ଲୋପ ପାଇଯିବ । ସମୀକ୍ଷା ତ ସଂଶୋଧନର ଦ୍ୱାର ଖୋଲି ଦେଇଥାଏ । ଏହା ବନ୍ଦ ହୋଇଗଲେ ପ୍ରଗତିର ଦ୍ୱାର ରୁଦ୍ଧ ହୋଇଯିବ । ପିତାଙ୍କର କହିବା ଉଦେ୍ଦଶ୍ୟ ତାହା ହିଁ ଥିଲା । ବାସ୍ତବରେ ଅହଙ୍କାରବଶତଃ ପୂର୍ଣ୍ଣତାପ୍ରାପ୍ତିର ଅନୁଭୂତି ଆସିଲେ ମଣିଷ ନିଜର ଦୋଷ ଖୋଜିବା ଭୁଲିଯାଏ । ଫଳତଃ ପ୍ରଗତିର ପଥରୋଧ ହୋଇଯାଏ । ପୁଅ ନିଜ ଭୁଲ ବୁଝିପାରି ଦୋଷତ୍ରୁଟି ସୁଧାରିବାକୁ ଯତ୍ନଶୀଳ ହେବା ହେତୁ ନିଜକୁ ସର୍ବୋତ୍ତମ ଭାବରେ ପ୍ରତିଷ୍ଠିତ କରିପାରିଥିଲା । ପ୍ରଗତି, ଯେଉଁ କ୍ଷେତ୍ର ହେଉ, ଯାହା ବି ଅଭୀଷ୍ଟ ଥାଉ, ସବୁର ଏକମାତ୍ର ରାଜମାର୍ଗ । ଆତ୍ମସମୀକ୍ଷା ହେଉ ବା ଅନ୍ୟର ମାର୍ଗଦର୍ଶନ ଦ୍ୱାରା ହେଉ ପ୍ରତ୍ୟେକ କ୍ଷେତ୍ରରେ ଏହି ରୀତିନୀତି ଦୂରଦୃଷ୍ଟିର ତଥା ସିଦ୍ଧିର ପରିଚାୟକ । ଆପଣା ଉପଲବ୍ଧି ବଳରେ ବ୍ୟକ୍ତି ଯେଉଁଦିନ ନିଜକୁ ସନ୍ତୁଷ୍ଟ ଓ ସ୍ୱୟଂସମ୍ପୂର୍ଣ୍ଣ ବିଚାରିବ ସେହିଦିନୁ ଅହଙ୍କାର ଆବରଣ କ୍ରମଶଃ ବଢ଼ିଯିବ ଯାହା ପ୍ରଗତିର ମାର୍ଗରୋଧ କରିବ । ଏହି କାରଣ ହେତୁ ବହୁତ ବଡ଼ ବଡ଼ ବ୍ୟକ୍ତି ଅଛନ୍ତି ଯେଉଁମାନେ ପ୍ରତିଭାବାନ, କିନ୍ତୁ ଜୀବନରେ ଅସଫଳ । ଅନ୍ୟ ଦ୍ୱାରା ନିଜ କର୍ମର ସମୀକ୍ଷା ବା ଚର୍ଚ୍ଚା ନିଶ୍ଚିତରେ ଅଧିକ ସଫଳତା ପାଇଁ ବାଟ କଢ଼ାଇଥାଏ ।
ଡ.ସୁରେଶ କୁମାର ନାୟକ,ମୋ: ୯୪୩୭୨୨୫୫୯୨